Unknown

ବକୁଳ ବନର ଗୁରୁ

ଜାତୀୟ କବି ବୀର କିଶୋର ଦାସ

 

ଏଥିରେ ପଢ଼ନ୍ତୁ

୧ ।

ଲେଖକଙ୍କ ପରିଚୟ

୨ ।

ସ୍ମୃତି ସମିତି ତରଫରୁ ପଦେ

୩ ।

ଅବତରଣିକା

୪ ।

ପଣ୍ଡିତ ନୀଳକଂଠଙ୍କ ଜୀବନ କଥା

୫ ।

ନୀଳକଂଠ (କବିତା)

 

ଲେଖକଙ୍କ ପରିଚୟ

ଲେଖକ : ଜାତୀୟ କବି ବୀର କିଶୋର ଦାସ

ଜନ୍ମ : ୧୮୯୬            ମୃତ୍ୟୁ : ୧୯୭୨

 

କବି ବୀରକିଶୋରଙ୍କ ଜନ୍ମ କଟକ ଜିଲ୍ଲା ଜଗତ୍‌ସିଂହପୁର ନିକଟସ୍ଥ ପୁନଂଗ ଗ୍ରାମରେ ୧୮୯୬ ମସିହା ନଭେମ୍ୱର ୨୩ ତାରିଖ ଦିନ । ତାଙ୍କ ପିତାଙ୍କ ନାମ ଗୋପାଳ ଚନ୍ଦ୍ର ଦାସ । ତାଙ୍କ ମାତା ଶିଶୁ ପୁତ୍ରକୁ ୨ ବର୍ଷ ବେଳେ ଛାଡ଼ି ସ୍ୱର୍ଗାରୋହଣ କରିଥିଲେ । ୫ ବର୍ଷ ବୟସରେ ଗୋପାଳ ବାବୁ ପୁଅକୁ କଟକ ଆଣି ପଢ଼ାଇବାର ବନ୍ଦୋବସ୍ତ କଲେ । ମାତ୍ର ୩ ବର୍ଷ ପରେ ସେ ବାତ ରୋଗରେ ଚଳତ୍‌ଶକ୍ତି-ବିହୀନ ହୋଇ ପଡ଼ିବାରୁ ବୀର କିଶୋରଙ୍କ ପାଠପଢ଼ା ବନ୍ଦ ହୋଇ ଯାଇଥିଲା । ସୌଭାଗ୍ୟକୁ ଜଣେ ବଙ୍ଗାଳୀ ବ୍ରାହ୍ମଣ ସବ୍‌ରେଜିଷ୍ଟ୍ରାର ତାଙ୍କୁ ନେଇ କଟକ ଭିକ୍ଟୋରିଆ ସ୍କୁଲରେ ନାମ ଲେଖାଇ ଦେଲେ । ଏଇଠି ଭକ୍ତକବି ମଧୁସୂଦନଙ୍କ ସଙ୍ଗେ ବୀର କିଶୋରଙ୍କର ପରିଚୟ ହେଲା ଓ ଭକ୍ତକବି କହିଥିଲ, ‘‘ତୁମେ ଜଣେ କବି ହେବ ।’’ ଏତିକିବେଳେ ତାଙ୍କର ଇଂରେଜିରୁ ଅନୁଦିତ ପ୍ରଥମ କବିତା ‘ମୁକୁର’ରେ ପ୍ରକାଶ ପାଇଲା ।

 

୧୭ ବର୍ଷ ବୟସରେ ବୀର କିଶୋର ରେଭେନ୍‌ସା କଲେଜରେ ନାମ ଲେଖାଇଲେ । ମାତ୍ର ସେ ‘ଅଧିକ ପାଠ ପଢ଼ିବାକୁ ଆଗ୍ରହୀ ନ ହେବାରୁ ବାପା ସରକାରୀ ଚାକିରୀରେ ରଖାଇ ଦେଲେ ।’ ବିଭିନ୍ନ ଦପ୍ତରରେ ସାମୟିକ ଚାକିରୀମାନ ଗ୍ରହଣ କରି ଅବଶେଷରେ ବୀର କିଶୋର ୧୯୨୧ ମସିହାରେ P.W.D. ରେ Traffic Assistant ଭାବେ ଟ ୫୫ଙ୍କା ବେତନରେ ସ୍ଥାୟୀ ଚାକିରୀରେ ଯୋଗଦାନ କଲେ । ମାତ୍ର ବର୍ଷକ ପରେ ସରକାରୀ ଚାକିରୀ ଛାଡ଼ି ସେ କଂଗ୍ରେସର ଅସହଯୋଗ ଆନ୍ଦୋଳନରେ ଝାସ ଦେଲେ ଓ ଗୋପବନ୍ଧୁ ଚୌଧୁରୀଙ୍କ ସହକାରୀ ଭାବେ ଆଶ୍ରମ ଜୀବନ ଯାପନ କଲେ ।

 

୨୭ ବର୍ଷ ବୟସରେ ୧୯୨୩ ରେ ବୀର କିଶୋର କଟକର ସ୍ୱାଧୀନତା ପ୍ରେମୀ ଓକିଲ ଧର୍ମାନନ୍ଦ ପଟ୍ଟନାୟକଙ୍କ ଝିଅ ସାରଦାଦେବୀଙ୍କର ପାଣି ଗ୍ରହଣ କରିଥିଲେ । ତାଙ୍କର ସଂଗ୍ରାମୀ ଜୀବନରେ ସାରଦାଦେବୀ ଓକିଲଙ୍କ ଝିଅ ହୋଇ ମଧ୍ୟ କେବେ ଅଭାବର ଅଭିଯୋଗ ନକରି ବାସ୍ତବ ସହଧର୍ମିଣୀ ରୂପେ ସମୟ ଅତିବାହିତ କରିଥିଲେ ।

 

୧୯୨୪ରେ ବୀର କିଶୋର କଟକ ଲୋକାଲ ବୋର୍ଡ଼ର ଚେୟାରମ୍ୟାନ ହେଲେ । ୧୯୩୦ ରେ ଆଇନ ଅମାନ୍ୟ ଆନ୍ଦୋଳନ ଓ ୧୯୪୨ରେ ଭାରତ ଛାଡ଼ ଆନ୍ଦୋଳନରେ ସେ ଯୋଗ ଦେଇଥିଲେ । ୧୯୩୩ ରେ ହଜାରିବାଗ ଜେଲରେ ବନ୍ଦୀ ଥିବାବେଳେ ସେ ସୀମାନ୍ତ ଗାନ୍ଧି, ଡଃ ଗଜେନ୍ଦ୍ର ପ୍ରସାଦ ଓ ପଣ୍ଡିତ ନୀଳକଂଠଂକ ସହ ପରିଚିତ ହୋଇଥିଲେ । ନିଜର ସଂଗ୍ରାମୀ ଜୀବନରେ ବୀର କିଶୋର ‘ରଣ ଦୁଂଦୁଭି’ , ‘ରଣ ଭେରୀ’ ‘ବିଦ୍ରୋହୀ ବୀଣା’ ‘ଅରିଫେରି ନାଇ, ଯୁଦ୍ଧ ସରି ନାଇ’, ‘ମୋହନ ବଂଶୀ’ ପ୍ରଭୃତି ଦେଶାତ୍ମବୋଧକ ପୁସ୍ତକମାନ ରଚନା କରିଥିଲେ । ମୋଟରେ ତାଙ୍କର ୭ ଥର ଜେଲ ଦଣ୍ଡ ମଧ୍ୟରୁ ତାଙ୍କୁ ‘ରଣ ଦୁଂଦୁଭି ’ ଓ ‘ରଣ ଭେରୀ’ ଲାଗି ୨ ବର୍ଷ ଏବଂ ‘ବିଦ୍ରୋହୀ ବୀଣା’ ପାଇଁ ୧ ବର୍ଷ କାରାଦଣ୍ଡ ଭୋଗ କରିବାକୁ ପଡ଼ିଥିଲା । କାରଣ ସେ ଯଥାର୍ଥରେ ଥିଲେ ‘ବିପ୍ଳବର ବାର୍ତ୍ତାବହ’ । ସେ କହିଥିଲେ , ମହମ୍ମଦ ତୋଗଲକ ୧୭ ଥର ଭାରତ ଆକ୍ରମଣ କରିଥିଲା – ମୋ ଘର କିନ୍ତୁ ବ୍ରିଟିସ୍‌ ସରକାର ୧୯ ଥର ଖାନତଲାସ କରି ନିରାଶ ହୋଇଚି ।

 

ପାଠ୍ୟ ପୁସ୍ତକ ଜାତୀୟ କରଣରେ ଅଗ୍ରଣୀ ହୋଇ ବୀର କିଶୋର ତାହାକୁ କାର୍ଯ୍ୟକାରୀ କରିଥିଲେ ଓ ବହୁଦିନ ଧରି Text Book Committee ର Secretary ଥିଲେ ।

 

ବୀର କିଶୋର ୧୯୫୯ ମସିହାରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ପଣ୍ଡିତ ନୀଳକଂଠ ଥିଲେ ତାଙ୍କର ‘ଶିକ୍ଷକ, କାରାଗାରଠାରୁ ଦରବାର ଯାକେ’ । ତାଙ୍କ ମହାପ୍ରୟାଣରେ ବୀରକିଶୋର ରଚନା କରିଥିଲେ, ‘ବକୁଳ ବନର ଗୁରୁ’, ନିଜ ଶୋକର ମୂର୍ଚ୍ଛନା । ୧୯୬୨ରେ ପ୍ରକାଶ ପାଇଲା, ତାଙ୍କର ଶେଷ କାବ୍ୟକୃତି ‘ସମର ଯୁଗର ଅମର ସଙ୍ଗୀତ ।’

 

ବୀର କିଶୋରଙ୍କ ଦେହାନ୍ତ ହେଲା, ୧୯୭୩ ମସିହା ଅପ୍ରେଲ ୨୮ ତାରିଖରେ ।

(ନୀଳକଂଠଂକ ପ୍ରତି ଶ୍ରଦ୍ଧା ଭକ୍ତିର ନିଦର୍ଶନ ସ୍ୱରୂପ ସେ ରଚନା କରିଥିବା ଏଇ ପୁସ୍ତିକାଟିର ପୁନଃ ପ୍ରକାଶ ଅବକାଶରେ ଆମ୍ଭେମାନେ ଏହି ଜାତୀୟ କବିଙ୍କ ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ ।)

ସଂପାଦକ

ପଣ୍ଡିତ ନୀଳକଂଠ ସ୍ମୃତି ସମିତି

 

 

ସ୍ମୃତି ସମିତି ତରଫରୁ ପଦେ

ପଣ୍ଡିତ ନୀଳକଂଠଙ୍କ ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ଓଡ଼ିଶାର ବିଭିନ୍ନ ଶିକ୍ଷା ଓ ସଂସ୍କୃତିକ ଅନୁଷ୍ଠାନମାନଙ୍କରେ ପଣ୍ଡିତ ନୀଳକଂଠ ପ୍ରବନ୍ଧ, ବକ୍ତୃତା ଓ କବିତା ଆବୃତ୍ତି ପ୍ରତିଯୋଗିତାମାନ ପ୍ରଚଳନ କରାଯାଇଛି । ହାଇସ୍କୁଲ ସ୍ତରର କବିତା ପ୍ରତିଯୋଗିତାରେ କେତେକ କ୍ଷେତ୍ରରେ ଦେଖାଗଲା, ଛାତ୍ର, ଛାତ୍ରୀମାନେ ଜାତୀୟ କବି ବୀର କିଶୋରଙ୍କ ରଚିତ ‘‘ବକୁଳ ବନର ଗୁରୁ’’ କବିତା ପୁସ୍ତିକାରୁ କେତେକ ପଂକ୍ତି ସୁଲଳିତ କଣ୍ଠରେ ବଡ଼ ସୁନ୍ଦର ଭାବରେ ଗାନ/ଆବୃତ୍ତି କରି ପାରୁଛନ୍ତି । ଅନ୍ୟ କେତେକ କ୍ଷେତ୍ରରେ ପଦ-ଲାଳିତ୍ୟ ଭରା ପଂକ୍ତିଗୁଡ଼ିକ ସମବେତ କଣ୍ଠରେ ଗାନ କଲାବେଳେ ପରିବେଶ ବଡ଼ ଶାନ୍ତଗମ୍ଭୀର ହୋଇ ଉଠୁଚି । ମନେ କଲୁ, ପୁରା କବିତା ପୁସ୍ତିକାଟି ପୁର୍ନମୁଦ୍ରଣ କରାଗଲେ ଜାତୀୟ କବିଙ୍କର ଉତ୍କର୍ଷ ପ୍ରତିପାଦିତ ହୋଇ ପାରିବା ସଙ୍ଗେ ସଙ୍ଗେ ତଦ୍ୱାରା ପଣ୍ଡିତ ନୀଳକଂଠଙ୍କ ମହାତ୍ମ୍ୟର କେତେକ ଦିଗ ମଧ୍ୟ ଯୁବ ଓ ଜନସମାଜରେ ଲୋକପ୍ରିୟ ହୋଇପାରିବ ।

 

ସୁଯୋଗକୁ ଜାତୀୟ କବିଙ୍କର ସୁଯୋଗ୍ୟ ସନ୍ତାନ ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ବୋର୍ଡ଼ର ଅବସର ପ୍ରାପ୍ତ ମୁଖ୍ୟଯନ୍ତ୍ରୀ ଓ ବୈଷୟିକ ସଭ୍ୟ ଇଂ. ନିରଞ୍ଜନ ଦାସ ଏହି ପୁର୍ନମୁଦ୍ରଣ ଲାଗି ଆଗ୍ରହ ପ୍ରକାଶ କଲେ । ପ୍ରକାଶକ ଶ୍ରୀ ଧୀରେନ୍‌ ପଟ୍ଟନାୟକଙ୍କର ଆବଶ୍ୟକୀୟ ଅନୁମତି ଅଣାଇ ଦେଲେ ଓ ଏଥିପାଇଁ କିଛି ଆର୍ଥିକ ସାହାଯ୍ୟରେ ପ୍ରତିଶ୍ରୁତି ମଧ୍ୟ ଦେଲେ । ଆମ୍ଭେମାନେ ଏ ଅବସରରେ ଇଂ. ଦାସ ଓ ଏ ମଧ୍ୟରେ ଅକାଳରେ ମୃତ୍ୟୁବରଣ କରିଥିବା ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ପ୍ରତି ଗଭୀର କୃତଜ୍ଞତା ଜ୍ଞାପନ କରୁଛୁ ।

 

ସବୁ ଶୁଭ ହେଉ !

ସମ୍ପାଦକ

ଇଂ: ମଧୁସୂଦନ ଦାଶ

ପଣ୍ଡିତ ନୀଳକଂଠ ସ୍ମୃତି ସମିତି, ଭୁବନେଶ୍ୱର

ତା ୩-୩-୮୭

 

ଅବତରଣିକା

ଆଚାର୍ଯ୍ୟ ହରିହର ମୋର କୈଶୋର – ଗୁରୁ । କଟକ ପ୍ୟାରୀମୋହନ ଏକାଡ଼େମୀରେ ପଢ଼ିଲାବେଳେ ମୁଁ ତାଙ୍କର ଶିଷ୍ୟ ଥିଲି ।

 

ପଣ୍ଡିତ ନୀଳକଂଠ ମୋର ଶିକ୍ଷକ । କାରାଗାରଠାରୁ ଦରବାରଯାକେ ମୁଁ ଯେତେବେଳେ ତାଙ୍କ ସମ୍ପର୍କରେ ଆସିଛି, ଅଧିକାଂଶ ସମୟରେ ଆମ ଭାଷା ସାହିତ୍ୟ ବିଷୟରେ ଆଲୋଚନା କରିଛି ଏବଂ ତାଙ୍କଠାରୁ ଯାହା ଶିଖିବାର କଥା ଶିଖିଛି ।

 

ଗୁଡ଼ିଏ ପାନ ଖାଇବା ପଣ୍ଡିତଜୀଙ୍କର ଗୋଟାଏ ନିଶା; ତା’ଠାରୁ ବଳି ଆଉ ଯୋଡ଼ିଏ ବଡ଼ ନିଶା ଥିଲା –ପଢ଼ିବା, ଲେଖିବା ।

 

ଏଗୁଡ଼ିକ ମୁଁ ଅଙ୍ଗେ ଲିଭେଇଛି ହଜାରିବାଗ ଜେଲରେ । ରୋଗ ଶଯ୍ୟାରେ ପଡ଼ି ସୁଦ୍ଧା ସେ ରାତି ଦୁଇଟାବେଳ ଯାଏ ବହି ଧରି ବସି ପଢ଼ୁଥାନ୍ତି । ଡାକ୍ତର ଆସି ଯେତେ ବାରଣ କଲେ ମଧ୍ୟ ସେ ସେଥିରୁ କ୍ଷାନ୍ତ ହୁଅନ୍ତି ନାହିଁ । ଡାକ୍ତର ଥରେ ବିରକ୍ତ ହେବାରୁ ସେ ତାଙ୍କୁ କହିଲେ –‘‘ ମୋର ଯା ପଥ୍ୟ ମିଳୁଛି ଆପଣ ତାକୁ କାଟିଦିଅନ୍ତୁ ପଛକେ , ମୁଁ ପଢ଼ାପଢ଼ି ଛାଡ଼ିପାରିବି ନାହିଁ ।’’

 

କବି, ପଣ୍ଡିତ, ଐତିହାସିକ ନୀଳକଂଠଙ୍କର ସାହିତ୍ୟସେବା ତଥା ପ୍ରତିଭା ବିଷୟ ସମସ୍ତେ ଜାଣନ୍ତି । ସେ କ୍ଷମତା ରାଜନୀତି ହେମହରିଣୀ ପଛରେ ଧାଇଁ ବନ୍ଧୁବାନ୍ଧବ ଓ ଆତ୍ମୀୟସ୍ୱଜନଙ୍କ ଆଦରର ଶୈଥିଲ୍ୟ ଅନୁଭବ କଲେ ସୁଦ୍ଧା ବାଗ୍‌ଦେବୀଙ୍କ ଆଦରରୁ ବଂଚିତ ହୋଇ ନାହାନ୍ତି । ସେ ବିଧାନସଭା ବାଚସ୍ପତି ପଦ ମଣ୍ଡନ କରିଥିଲେ । ସେଥିରୁ ବିଦାୟ ନେବା ଦିନଠାରୁ ସେପାରିକି ଯିବେ ବୋଲି ସଜ ହେଉଥିଲେ ।

ଯଥା ସମୟରେ ଅଦୃଷ୍ଟର ଉଡ଼ାଜହାଜ ଆସି ପହଞ୍ଚିଲା । ସେ ଉଡ଼ି ଚାଲିଗଲେ । ତାଙ୍କର ବିୟୋଗ ବାର୍ତ୍ତା ପାଇଲା ଦିନ ଗୋଟିଏ ଶୋକ ସଙ୍ଗୀତ ଲେଖି ପଠାଇଥିଲି ।

ପରେ ମୋର ବନ୍ଧୁ ‘ଶିଶୁ ସମ୍ପଦ’ର ସମ୍ପାଦକ ତଥା ‘ଜ୍ଞାନମଣ୍ଡଳ’ ର ପ୍ରଣେତା ଶ୍ରୀଯୁକ୍ତ ବିନୋଦ କାନୁନ୍‌ଗୋ ମୋତେ ପଣ୍ଡିତ ନୀଳକଂଠଙ୍କ ବିଷୟ କିଶୋରମାନଙ୍କୁ ଜଣାଇବା ଲାଗି ଗୋଟିଏ କବିତା ଲେଖିବାକୁ ପ୍ରବର୍ତ୍ତାଇ ଥିଲେ – ଲେଖୁ ଲେଖୁ କବିତାଟି ବଡ଼ ହୋଇ ଖଣ୍ଡିଏ କ୍ଷୁଦ୍ର ପୁସ୍ତିକାର ଆକାର ଧାରଣାକଲା ।

ଏ ପୁସ୍ତିକା ଖଣ୍ଡି ଲେଖିଲାବେଳେ ମୋର ସାଥୀ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ ଆବଶ୍ୟକ ମତେ ସାହାଯ୍ୟ ଦେଇଥିବାରୁ ମୁଁ ତାଙ୍କ ନିକଟରେ କୃତଜ୍ଞ ।

ଡାକ୍ତର ମାଧବାନନ୍ଦ ଷଡ଼ଙ୍ଗୀ , ‘ନବଜୀବନ’ ସମ୍ପାଦକ ଶ୍ରୀଯୁକ୍ତ ଚିନ୍ତାମଣି ମିଶ୍ର ଏବଂ ‘ତରୁଣ ଶବ୍ଦକୋଷ’ର ପ୍ରଣେତା ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର କର ଏ କବିତାଟି ଶୁଣି ଏହାର ଆଶୁ ପ୍ରକାଶନର ଦାୟିତ୍ୱ ବହନ କରିଥିବାରୁ ଏବଂ ବିକ୍ରୟଲବ୍‌ଧ ଅର୍ଥରୁ ଦୁଇ ଶତ ଟଙ୍କା ବାତ୍ୟାପୀଡ଼ିତ ପାଣ୍ଠିକୁ ଦେବା ଲାଗି ରାଜି ହୋଇଥିବାରୁ ମୁଁ ତାଙ୍କୁ ଅନ୍ତରର ଆର୍ଶୀବାଦ ପ୍ରଦାନ କରୁଛି ।

କାଳିଗଳି, କଟକ -୨

ବସନ୍ତ ପଞ୍ଚମୀ

ତା ୩-୨-୬୮

 

ପଣ୍ଡିତ ନୀଳକଂଠଙ୍କ ଜୀବନ କଥା

ଜଣେ ବଳିଷ୍ଠ ଶିକ୍ଷାବିତ୍‌, ନିଷ୍ଠାପର ସମାଜ ସଂସ୍କାରକ, ସ୍ୱନାମଧନ୍ୟ ବିଧାୟକ ତଥା ଖ୍ୟାତନାମା ଜାତୀୟ ନେତା ଏବଂ ସର୍ବୋପରି ଜଣେ କୃତବିଦ୍ୟ ଉଚ୍ଚକୋଟୀର ସାହିତ୍ୟିକ ରୂପେ ପଣ୍ଡିତ ନୀଳକଂଠ ଓଡ଼ିଆ ସାହିତ୍ୟର ଏକ ଅବିସ୍ମରଣୀୟ ଯୁଗର ପ୍ରବର୍ତ୍ତକ ।

 

୧୮୮୪ ଖ୍ରୀଷ୍ଟାବ୍ଦରେ ପଣ୍ଡିତ ନୀଳକଂଠଙ୍କର ଜନ୍ମ । ବାଲ୍ୟକାଳରୁ ହିଁ ତାଙ୍କର ଅସାଧାରଣ ପ୍ରତିଭା ତଥା ବିଭିନ୍ନ ଦିଗରେ ତାଙ୍କର ଆଗ୍ରହ ଅନୁରାଗ ଅପରିଚ୍ଛିନ୍ନ ଭାବରେ ପ୍ରତିଭାତ ହୋଇଥିଲା । ଦେଶରେ ଇଂରାଜୀ ଶିକ୍ଷା ସେତେବେଳେ ଶୈଶବ ଅବସ୍ଥାରେ; ଇଂରାଜୀ ବିଦ୍ୟାଳୟ ମାନଙ୍କର ସଂଖ୍ୟା ନଗଣ୍ୟ । ପାରମ୍ପରିକ ଶିକ୍ଷାପଦ୍ଧତିର ଗଣ୍ଡିମଧ୍ୟରୁ ମୁକ୍ତି ଲାଭ କରିବା ସେତେବେଳେ ଏକ ଦୁଃସାଧ୍ୟସାଧନ । ତଥାପି ପଣ୍ଡିତ ନୀଳକଂଠ ଗ୍ରାମ ବିଦ୍ୟାଳୟରେ ପାଠ ଶେଷ କରି ଇଂରାଜୀ ଅଧ୍ୟୟନ ପାଇଁ ଚାଲି ଚାଲି ଯାଇ ପୁରୀଜିଲ୍ଲା ସ୍କୁଲରେ ନାମ ଲେଖାଇ ପାରିଥିଲେ । ସେହି ବିଦ୍ୟାୟତନରେ ଅଧ୍ୟୟନ କାଳରେ ସେ ଯେ କେବଳ ବିଦ୍ୟାର୍ଜନରେ ବଳିଷ୍ଠ ମେଧା ପ୍ରଦର୍ଶନ କରିଥିଲେ, ତାହା ନୁହେଁ, ତା ସଙ୍ଗେ ସଙ୍ଗେ ସମାଜର ସମୂହ ସେବାମୂଳକ ସଂଗଠନ ଶକ୍ତି ତଥା ସାମାଜିକ କର୍ତ୍ତବ୍ୟବୋଧ ସୂଚକ ସଂକଳ୍ପ ମଧ୍ୟ ସେହି ସମୟରୁ ହିଁ ତାଙ୍କଠାରେ ପ୍ରକାଶ ପାଇଥିଲା ।

 

ନୀଳକଂଠ ଯେତେବେଳେ ରେଭେନ୍‌ସା କଲେଜର ଛାତ୍ର, ଖ୍ୟାତନାମା ପଣ୍ଡିତ ଗୋପବନ୍ଧୁ ଦାସ କଟକରେ ଗୋଟିଏ ଆଦର୍ଶ- ସ୍ଥାନୀୟ ସମାଜ ସେବୀ ଗୋଷ୍ଠୀ ଗଠନ କରିଥାନ୍ତି । ସେମାନଙ୍କ ସହିତ ପଣ୍ଡିତ ନୀଳକଂଠଙ୍କର ଘନିଷ୍ଠ ସମ୍ପର୍କ ସ୍ଥାପିତ ହେଲା । ପଣ୍ଡିତ ନୀଳକଂଠ ଅଚିରେ ରୁଗ୍‌ଣ, ଦରିଦ୍ର ଓ ବିପନ୍ନ ବ୍ୟକ୍ତିମାନଙ୍କ ସେବାରେ ଜଣେ ଉତ୍ସୃଷ୍ଟଜୀବନ ସଂଗଠକ ଭାବରେ ସେହି ଛାତ୍ର ଅବସ୍ଥାରୁ ହିଁ ପ୍ରସିଦ୍ଧି ଲାଭ କଲେ । ପରିଣାମରେ ଦେଖାଗଲା ଯେ, ଦେଶ ପ୍ରାଣ ଏହି କେତେଜଣ ଉତ୍କଳ ସନ୍ତାନମାନଙ୍କ ମଧ୍ୟରେ ପବିତ୍ର ବନ୍ଧନର ସୁତ୍ରପାତ ହୋଇଚି । ‘‘ଆମେ ପାଠପଢ଼ି ସରକାରୀ ଚାକିରୀ କରିବା ନାଇ – ଦେଶ ପାଇଁ କିଛି କରିବା । ଜନ୍ମବେଳେ ଦେଶକୁ ଯାହା ଦେଖିଥାଇଁ, ତା’ଠାରୁ ଉନ୍ନତଦେଖି ମରିବା ।’’ ଏହା ଥିଲା ୯ମ ଶ୍ରେଣୀର ଛାତ୍ର ନୀଳକଂଠଙ୍କର ଗୋପବନ୍ଧୁ ଓ ହରିହରଙ୍କ ସଙ୍ଗେ ଭାର୍ଗବୀ ନଦୀ କୂଳରେ ପ୍ରତିଜ୍ଞା – ବାସ୍ତବରେ ସେ ଜୀବନରେ ସରକାରୀ ଚାକିରୀ କରି ନାହାନ୍ତି - ସାରାଜୀବନ ଦେଶ ଓ ଦେଶର ସେବାରେ ନିଜକୁ ନିୟୋଜିତ କରିଚନ୍ତି । ଏହି ଉଦ୍ଦେଶ୍ୟ ଘେନି ଗୋପବନ୍ଧୁ ଓ ନୀଳକଂଠ ସତ୍ୟବାଦୀରେ ଏକ ବିଦ୍ୟାଳୟ ସ୍ଥାପନର ପରିକଳ୍ପନା କଲେ । ବି.ଏ.ପାଶ୍‌ ପର ନୀଳକଂଠ ବିଦ୍ୟାଳୟର ଶୁଭଦିଆ’ରେ ଯୋଗଦେଇ ତାଙ୍କ ପରିକଳ୍ପନାର ଉପଯୁକ୍ତ ହେବା ଲାଗି ଏମ୍‌.ଏ. ପଢ଼ିବା ପାଇଁ କଲିକତା ଗଲେ ।

 

ନୀଳକଂଠ କଲିକତା ବିଶ୍ୱବିଦ୍ୟାଳୟରୁ ଏମ.ଏ. ଉପାଧିଲାଭ କଲେ, ୧୯୧୧ ମସିହାରେ । ସେଠାରୁ ଆସି ସେ ସଙ୍ଗେ ସଙ୍ଗେ ସତ୍ୟବାଦୀ ବିଦ୍ୟାଳୟରେ ଯୋଗଦାନ କଲେ ଓ ଏହାକୁ ଏକ ଉଚ୍ଚ ବିଦ୍ୟାଳୟରେ ପରିଣତ କଲେ । ଉତ୍କୃଷ୍ଟ ଶିକ୍ଷାଦାନ ସହିତ ରୋଗୀ ସେବା ଓ ସମାଜରେ ରହିଥିବା କୁସଂସ୍କାର ମାନ ଦୂର କରିବା ଥିଲା ପ୍ରଧାନ ଶିକ୍ଷକ ନୀଳକଂଠ ଓ ସହଯୋଗୀମାନଙ୍କର ଲକ୍ଷ୍ୟ । ସେଇ ଲକ୍ଷ୍ୟ ନେଇ ଉତ୍ସୃଷ୍ଟ –ଜୀବନ ଦଳ ଦଳ ଛାତ୍ର ଓ ଶିକ୍ଷକ ସୃଷ୍ଟି କରିବାରେ ଏମାନେ ଲଗି ପଡ଼ିଲେ ।

 

କାଳକ୍ରମେ ଏହି ଅନୁଷ୍ଠାନଟି ସାରା ଦେଶରେ ବହୁଳ ଭାବରେ ପ୍ରଶଂସା ଭାଜନ ହେବାକୁ ଲାଗିଲା ଏବଂ ସମାଜରେ ଏକ ନୂତନ ଆଲୋଡ଼ନ ସୃଷ୍ଟି କଲା । ଜୀବନର ସାୟାହ୍ନରେ ପଣ୍ଡିତ ନୀଳକଂଠ ଅତୀତ ଜୀବନର ଏହି ଦିନ ଗୁଡ଼ିକୁ ସ୍ମୃତିଗର୍ଭରୁ ଉଦ୍ଧାର କରି ଭାବାବେଗରେ କହିଥିଲେ ଏବଂ ଯଥାର୍ଥରେ ହିଁ କହିଥିଲେ , ‘‘ସତ୍ୟବାଦୀ ସ୍କୁଲ ମୋ ଜୀବନର କେବଳ ଗୋଟାଏ ଇତିହାସ ମାତ୍ର ନୋହେ ।’’

 

ସତ୍ୟବାଦୀ ସ୍କୁଲରେ ଥିବା ସମୟରେ ନୀଳକଂଠଙ୍କ ଜୀବନର ଏହି ଅମୂଲ୍ୟ ପର୍ଯ୍ୟାୟରେ ସେ ଓ ତାଙ୍କର ସହକର୍ମୀମାନେ ଓଡ଼ିଆ ସାହିତ୍ୟରେ ଏକ ନୂତନ ଯୁଗ ସୃଷ୍ଟି କରିଥିଲେ । ସାହିତ୍ୟ ଜାତୀୟ ଜୀବନ ଓ ସଂସ୍କୃତିର ବାହକ ସ୍ୱରୂପ । ଏହି ନବଯୁଗ ଓଡ଼ିଆ ସାହିତ୍ୟ ମାଧ୍ୟମରେ ତାର ସେହି ସଂସ୍କୃତି ତଥା ତାର ଉତ୍ତରାଧିକାରର ଔତ୍କର୍ଷକୁ ପ୍ରତିପାଦନ କରି ନୂତନ ଜୀବନ ଆଣି ଦେବା ସଙ୍ଗେ ସଙ୍ଗେ ଉଭୟ ଗଦ୍ୟ ଓ ପଦ୍ୟ ରଚନାରେ ଏକ ଅନ୍ତର୍ଭେଦୀ ସୌଷ୍ଠବମୟ ଶୈଳୀ ପ୍ରବର୍ତ୍ତନ କରିଥିଲା । ସ୍ୱୀୟ ବିଦ୍‌ବତ୍ତା ତଥା ଚମତ୍କାର ସାହିତ୍ୟ ସୃଷ୍ଟି ଦ୍ୱାରା ଏହି ନୂତନ ଯୁଗକୁ ନୀଳକଂଠ ଯେଉଁ ଦାନ ଦେଇ ଯାଇଛନ୍ତି , ତାହା ଅସନ୍ଦିଗ୍‌ଧ ଭାବରେ ବିଶେଷ ଉଲ୍ଲେଖ ଯୋଗ୍ୟ ।

 

ସାର୍‌ ଆଶୁତୋଷଙ୍କ ନିମନ୍ତ୍ରଣ କ୍ରମେ ପଣ୍ଡିତ ନୀଳକଂଠ କଲିକତା ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଓ ତୁଳନାତ୍ମକ ଭାଷାତତ୍ତ୍ୱର ଅଧ୍ୟାପକ ରୂପେ ଯୋଗଦେଲେ । ମାତ୍ର ୩ ମାସ ପରେ ଦେଶରେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହୁଅନ୍ତେ ନୀଳକଂଠ ଏଥିରେ ଝାସ ଦେଲେ ଓ ପରେ ପରେ କାରାବରଣ କଲେ । କାରାମୁକ୍ତ ହେବାବେଳକୁ କଂଗ୍ରେସ ‘‘ଅପରିବର୍ତ୍ତନବାଦୀ’’ (No Changers) ଓ ପରିବର୍ତ୍ତନବାଦୀ (Pro Changers) ଦୁଇଟି ଦଳରେ ବିଭକ୍ତ ହୋଇଥାଏ-। ୧୯୨୩ ରେ ବ୍ୟବସ୍ଥାସଭା ମାଧ୍ୟମରେ ସରକାରଙ୍କୁ ହଇରାଣ ହରକତ କରିବା ସ୍ୱାଧୀନତା ସଂଗ୍ରାମର ଏକ ଉପଯୁକ୍ତ ପନ୍ଥା ବୋଲି ବୟାନ କରୁଥିବା ଦେଶବନ୍ଧୁ ଚିତ୍ତରଞ୍ଜନ ଓ ପଣ୍ଡିତ ମୋତିଲାଲଙ୍କ ‘ପରିବର୍ତ୍ତନବାଦୀ’ ଦଳରେ ନୀଳକଂଠ ଯୋଗ ଦେଲେ । ଏହି ଦଳ ପକ୍ଷରୁ ୧୯୨୪ ରୁ ୧୯୩୦ ଯାଏ କେନ୍ଦ୍ର ବିଧାୟକ ଭାବରେ ରହି ସେ ଖୁବ୍‌ ସୁନାମ ଅର୍ଜନ କରିଥିଲେ । ଦଳର ତତ୍‌କାଳୀନ ନେତା ପଣ୍ଡିତ ମୋତିଲାଲଙ୍କ ନେତୃତ୍ୱରେ ସେ ଥିଲେ ଦଳର ସଂପାଦକ ।

 

୧୯୨୩ ରୁ ୧୯୩୩ ମଧ୍ୟରେ ସେ ଅସହଯୋଗ ଆନ୍ଦୋଳନ , ଲବଣ ସତ୍ୟାଗ୍ରହ ପ୍ରଭୃତିରେ ଦୀର୍ଘଦିନ ଧରି ୪ ଥର କାରାଦଣ୍ଡ ଭୋଗ କରିଥିଲେ । ୧୯୩୪ ମସିହାରେ ସେ ପୁନର୍ବାର କେନ୍ଦ୍ର ବ୍ୟବସ୍ଥା ସଭାକୁ ନିର୍ବାଚିତ ହେଲେ ଓ ୧୯୪୫ ପର୍ଯ୍ୟନ୍ତ ସେ ଏଥର ସଭ୍ୟ ରହିବା ବ୍ୟତୀତ କଂଗ୍ରେସ (ସ୍ୱରାଜ୍ୟ) ଦଳର ବରାବର ସଂପାଦକ ରହିଥିଲେ – ଏଥର ଅବଶ୍ୟ ଶ୍ରୀ ଭୋଳାଭାଇ ଦେଶାଇଙ୍କ ଅଧ୍ୟକ୍ଷତାରେ । କେନ୍ଦ୍ର ବ୍ୟବସ୍ଥା ସଭାରେ ବହୁ ତର୍କ, ବିତର୍କ, ଆଲୋଚନା ଓ କାଟ ପ୍ରସ୍ତାବ ପ୍ରଭୃତିରେ ଅଂଶ ଗ୍ରହଣ କରିବା ବ୍ୟତୀତ, ପଣ୍ତିତ ନୀଳକଂଠ ଓଡ଼ିଆ ଭାଷାଭାଷୀ ଲୋକଙ୍କ ପାଇଁ ଏକ ସ୍ୱତନ୍ତ୍ର ପ୍ରଦେଶ ଗଠନ ଲାଗି ଏଥିରେ ପ୍ରଥମଥର ପାଇଁ ଗୋଟିଏ ପ୍ରସ୍ତାବ (bill) ଆକାରରେ ଦାବୀ ଉପସ୍ଥାପିତ କରିଥିଲେ ଏବଂ ତା’ ସଙ୍ଗେ ସଙ୍ଗେ ବିଚ୍ଛିନ୍ନାଞ୍ଚଳ ମାନ ଗସ୍ତ କରି ନାନା ତଥ୍ୟ ସଂଗ୍ରହ ପୂର୍ବକ ସେଠାରେ ଜନମତ ସୃଷ୍ଟି କରିବାଠାରୁ ଦେଶର ବିଭିନ୍ନ ପତ୍ରିକା ମାଧ୍ୟମରେ ଭାଷାଭିତ୍ତିରେ ପ୍ରବେଶ ସୃଷ୍ଟିର ଆବଶ୍ୟକତା ଉପରେ ସଂଦର୍ଭମାନ ପ୍ରକାଶ କରିଥିଲେ-। ପୁଣି ମହାତ୍ମାଜୀଙ୍କୁ ସାକ୍ଷାତ କରି ଓଡ଼ିଆ ସ୍ୱତନ୍ତ୍ର ପ୍ରଦେଶ ଲାଗି ସେ ନିଜେ ଲଢ଼ିବେ ବୋଲି ତାଙ୍କଠାରୁ ପ୍ରତିଶ୍ରୁତି ଆଦାୟ କରିଥିଲେ । ଏ ସମସ୍ତ ବ୍ୟତୀତ ଇଂରେଜ ସରକାରଙ୍କ ସଙ୍ଗେ ବାରମ୍ୱାର ଆଲୋଚନା ଏବଂ ବଡ଼ ଲାଟଙ୍କ ସହ ସାକ୍ଷାତ ଫଳରେ ୧୯୩୬ ରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠିତ ହେଲା ।

 

ଏ ସଂପର୍କରେ ରାଉରକେଲାଠାରେ ତା ୧୧-୪-୮୭ରେ ପଣ୍ଡିତ ନୀଳକଂଠ ୬ଷ୍ଠ ପର୍ଯ୍ୟାୟ ସ୍ମାରକୀ ବକ୍ତୃତମାଳାରେ ଭାଷଣ ଦେଇ ଲୋକସଭା କଂଗ୍ରେସ ଦଳର ଉପଦଳପତି ଓ ବରୀଷ୍ଠ ପାର୍ଲାମେଣ୍ଠ ସଭ୍ୟ ପ୍ରଫେସର ଏନ୍‌.ଜି.ରଙ୍ଗା ନୀଳକଂଠଙ୍କୁ ‘‘Father of Modern Orissa State’’ ବା ‘ନୂତନ ଓଡ଼ିଶା ପ୍ରଦେଶର ଜନକ’ ରୂପେ ଅଭିହିତ କରି କହିଛନ୍ତି ଯେ ‘‘ପଣ୍ଡିତ ନୀଳକଂଠଙ୍କ ପ୍ରଗାଢ଼ ଉଦ୍ୟମ ଓ ବିରାଟ ବ୍ୟକ୍ତିତ୍ୱ ଫଳରେ ଓଡ଼ିଶା ୧୯୩୬ ରେ ଗୋଟିଏ ନୂତନ ପ୍ରଦେଶ ରୂପେ ଗଠିତ ହୋଇ ପାରିଥିଲା – ମାତ୍ର ଆମର ସକଳ କୌଶଳ ପ୍ରୟୋଗ ଓ ପ୍ରଚେଷ୍ଟା ସତ୍ତ୍ୱେ ଆମେମାନେ ତହିଁର ଏକ ଦଶନ୍ଧିପରଯାଏ ଆନ୍ଧ୍ରକୁ ସ୍ୱତନ୍ତ୍ର ପ୍ରଦେଶ କରାଇ ପାରିନଥିଲୁ ।’’

 

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ବିଧାନସଭା ନିମନ୍ତେ ସେଇ ବର୍ଷ ସର୍ବ ପ୍ରଥମ ନିର୍ବାଚନ ହେଲା-। ନୂତନ ପ୍ରଦେଶରେ କଂଗ୍ରେସର ସ୍ଥିତି ଦୁର୍ବଳ ମଣି ବହୁ ନେତା ଏ ନିର୍ବାଚନରେ କଂଗ୍ରେସକୁ ଅବତୀର୍ଣ୍ଣ ନ କରାଇବା ପାଇଁ ନୀଳକଂଠକୁ ପରାମର୍ଶ ଦେଲେ । ହେଲେହେଁ, ପ୍ରଦେଶ କଂଗ୍ରେସ ସଭାପତି ନୀଳକଂଠ କାହାରି ବାରଣ ନମାନି ନିଜର ଏକକ ଓ ଅକ୍ଲାନ୍ତ ପ୍ରଚେଷ୍ଟାରେ କଂଗ୍ରେସ ଦଳକୁ ବିପୁଳ ବିଜୟ ଅଣାଇ ଦେଲେ । କଂଗ୍ରେସର ଉଚ୍ଚ କର୍ତ୍ତୃପକ୍ଷ ନୀଳକଂଠଙ୍କୁ ‘ବାହାବା’ ଜଣାଇଲେ । କାରଣ, ଏହାହିଁ ଥିଲା, ସମଗ୍ର ଦେଶର ପ୍ରାଦେଶିକ ବିଧାନ ସଭା ନିର୍ବାଚନରେ କଂଗ୍ରେସର ସର୍ବପ୍ରଥମ ବିଜୟ । ଏ ବିଜୟର ଫଳ କିନ୍ତୁ ନୀଳକଂଠଙ୍କୁ ମିଳିଲା ନାହିଁ । ତାଙ୍କ ସପକ୍ଷରେ ସଂଖ୍ୟାଧିକ ସଭ୍ୟଙ୍କର ସମର୍ଥନ ଥିବା ସତ୍ତ୍ୱେ ନାନା ଆଳ ଦେଖାଇ , ଷଡ଼ଯନ୍ତ୍ର କରି ନୀଳକଂଠ ମୁଖ୍ୟମନ୍ତ୍ରୀ ଲାଗି ପ୍ରତିଦ୍ୱନ୍ଦିତା କରି ପାରିବେ ନାହିଁ ବୋଲି କମିଟିରେ ନିଷ୍ପତ୍ତି କରାଗଲା ଓ ଏଇଠୁ ଓଡ଼ିଶାର ରାଜନୀତି କଳୁଷିତ ହେବାକୁ ଲାଗିଲା ।

 

ପ୍ରଫେସର ରଙ୍ଗା ତାଙ୍କର ଉପରୋକ୍ତ ଭାଷଣରେ ଆହୁରି କହିଛନ୍ତି ଯେ ଏ ସମସ୍ତ ସତ୍ତ୍ୱେ ପଣ୍ଡିତ ନୀଳକଂଠ ଯେ ଓଡ଼ିଶାର ପ୍ରଧାନମନ୍ତ୍ରୀ ହୋଇ ପାରିନଥିଲେ, ତା’ର କାରଣ କେବଳ ଯେ ଯୁବଗୋଷ୍ଠୀ ସେତେବେଳେ ଉକ୍ତ ପଦ ଲାଗି ଆଶାୟୀ ହୋଇ ପଡ଼ିଲେ ବା ଅବ୍ରାହ୍ମଣମାନେ ଉପରକୁ ଉଠି ତାଙ୍କର କର୍ତ୍ତୃତ୍ୱ ଜାହିର କରିବାକୁ ଚାହିଁଥିଲେ, ତାହା ନୁହେଁ; ଉପରନ୍ତୁ ପଣ୍ଡିତ ନୀଳକଂଠଙ୍କୁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନଲାଗି ବହୁ ସର୍ବଭାରତୀୟ ନେତା ମାନଙ୍କ ସହ ଯେଉଁ କନ୍ଦଳରେ ଲିପ୍ତ ହେବାକୁ ପଡ଼ିଥିଲା, ସେଥିଲାଗି ଏତେବେଳେ ତାଙ୍କୁ ସେମାନଙ୍କର ସମର୍ଥନ ମଧ୍ୟ ମିଳି ପାରି ନଥିଲା । ବିଚ୍ଛିନ୍ନାଞ୍ଚଳରେ ମିଶ୍ରଣ ଘେନି ପଡ଼ୋଶୀ ରାଜ୍ୟର ନେତା ମାନଙ୍କର ଅପ୍ରିୟ ଭାଜନ ହେବା ବ୍ୟତୀତ କଲିକତା କଂଗ୍ରେସ ଅଧିବେଶନର ସଭାପତି ଶ୍ରୀ ମୋତିଲାଲ ନେହେରୁ ଓଡ଼ିଶା ପ୍ରଦେଶ ଗଠନ ପାଇଁ କଂଗ୍ରେସର ସର୍ତ୍ତଧୀନ ସମର୍ଥନର ପ୍ରତିବାଦ କରି ପଣ୍ଡିତ ନୀଳକଂଠ ଓଡ଼ିଶାର ସମସ୍ତ ପ୍ରତିନିଧିଙ୍କୁ ନେଇ ଯେପରି ଅଧିବେଶନ ବର୍ଜନ କରିଥିଲେ ଓ କଲିକତାର ରାଜଦଣ୍ଡରେ ବିରାଟ ଶୋଭାଯାତ୍ରା ବାହାର କରିଥିଲେ, ମହାତ୍ମାଜୀଙ୍କୁ ମଧ୍ୟସ୍ଥତାରେ ଏହାର ସମାଧାନ ହୋଇଥିବା ସତ୍ତ୍ୱେ କଂଗ୍ରେସର ତୁଙ୍ଗ ନେତାମାନେ ସେତେବେଳଯାଏ ନୀଳକଂଠଙ୍କ ଉପରେ କ୍ରୋଧାନ୍ୱିତ ଥିଲେ ।

 

୧୯୩୯ ମସିହାର କଥା । ଭାରତର ଜାତୀୟ କଂଗ୍ରେସର ପୂର୍ବତନ ସଭାପତି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଫରଓ୍ୱାଡ଼ ବ୍ଳକର ପ୍ରତିଷ୍ଠାତା ରୂପେ ଓଡ଼ିଶା ଭ୍ରମଣରେ ଆସିଥାନ୍ତି । ପଣ୍ଡିତ ନୀଳକଂଠ ତାଙ୍କୁ ଓଡ଼ିଶାକୁ ସ୍ୱାଗତ କଲେ ଏବଂ ଏହି ନୀତିଗତ ପାର୍ଥକ୍ୟ ଯୋଗୁଁ ସେ ଭାରତୀୟ ଜାତୀୟ କଂଗ୍ରେସର ଓଡ଼ିଶା ପ୍ରାଦେଶିକ ଶାଖାର ସଭାପତି ପଦରୁ ଇସ୍ତଫା ଦେଇଦେଲେ । ସେହି ସମୟରେ ନେତାଜୀ ବୋଷଙ୍କର ନିର୍ଦ୍ଦେଶରେ ଓଡ଼ିଶାରେ ଯେଉଁ ମନ୍ତ୍ରିମଣ୍ଡଳ ଗଠିତ ହେଲା , ତାର ସୂତ୍ରଧାର ଥିଲେ ପଣ୍ଡିତ ନୀଳକଂଠ । ଏଥିଲାଗି ତାଙ୍କୁ ବହୁ କଟୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା । କେହି କେହି ତାଙ୍କୁ ‘ଦେଶଦ୍ରୋହୀ’ କହିବାକୁ ମଧ୍ୟ ପଛାଇ ନଥିଲେ । ଅବଶ୍ୟ ପରେ ଜଣାଗଲା ଯେ ନେତାଜୀ ଓ ନୀଳକଂଠକ ପରି ତାଙ୍କ ସମର୍ଥକ ଗଣ ଭାରତର ଆଶୁ ସ୍ୱାଧିନତା ଲାଗି ଏକ ସୁପରିକଳ୍ପିତ ଯୋଜନାର ଅଙ୍ଗସ୍ୱରୂପ ଏହା କରିଥିଲେ ଓ ନେତାଜୀ ଭାରତରୁ ଅନ୍ତର୍ହିତ ହେବା ପରେ ପୂର୍ବ ରଣାଙ୍ଗନରେ ଯେଉଁ ଆଜାଦ୍‌ ହିନ୍ଦ୍‌ ଫୌଜ ଗଠନ କରିଥିଲେ, ତାହା ଏହି ପରିକଳ୍ପନାର ଅନ୍ୟତମ ଅଙ୍ଗ ଥିଲା । ଭାରତର ସ୍ୱାଧିନତା ପ୍ରାପ୍ତି କ୍ଷୀପ୍ରତର ହେବାରେ ଏହା କିପରି ବିଶେଷ ସହାୟକ ହୋଇଥିଲା । ତାହା ସେତେବେଳର ବିଲାତ ପ୍ରଧାନମନ୍ତ୍ରୀ କ୍ଳେମେଣ୍ଟ ଅଟଲିଂକ ଉକ୍ତିରୁ ସ୍ପଷ୍ଟହୁଏ । ସେ କହିଥିଲେ ଯେ ଆହାଦ୍‌ ହିନ୍ଦ୍‌ ଫୌଜ ଓ ସେନା ବାହିନୀର ବିଦ୍ରୋହ ଫଳରେ ବ୍ରିଟିଶ୍‌ରାଜଙ୍କର ଭାରତୀୟ ସୈନ୍ୟ ବାହିନୀର ଆନୁଗତ୍ୟ ଉପରେ ସନ୍ଦେହ ଜାତ ହେବାରୁ ସେମାନେ ଭାରତ ଛାଡ଼ି ଚାଲିଯିବା ଲାଗି ଏକ ତରବରିଆ ସିଦ୍ଧାନ୍ତ ଗ୍ରହଣ କରିଥିଲେ । ଗାନ୍ଧିଜୀଙ୍କ ଗତାନୁଗତିକ ଜନ ଆନ୍ଦୋଳନର ପ୍ରଭାବ ବ୍ରିଟିଶ ସରକାରଙ୍କ ଏ ବୈପ୍ଳବିକ ସିଦ୍ଧାନ୍ତ ଗ୍ରହଣରେ ସାମାନ୍ୟତମ ଥିଲା ।

 

୧୯୫୨ ମସିହାରେ ନୀଳକଂଠ ରାଜ୍ୟ ବିଧାନ ସଭାକୁ ସ୍ୱଗଠିତ ‘ସ୍ୱାଧୀନ ଜନସଂଘ’ ଦଳରୁ ସହକର୍ମୀ ପଣ୍ଡିତ ଗୋଦାବରୀଶ ମିଶ୍ର ଓ ଅନ୍ୟ ୨ ଜଣକୁ ଘେନି ନିର୍ବାଚିତ ହେଲେ । ୧୯୫୫ ମସିହାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବକୃଷ୍ଣ ଚୌଧୁରୀ ଓ ଭାରତର ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ଆମନ୍ତ୍ରଣ କ୍ରମେ ସେ ପୁଣି କଂଗ୍ରେସରେ ଯୋଗ ଦେଲେ । ୧୯୫୭ ନିର୍ବାଚନରେ ନିଜ ନିର୍ବାଚନ ମଣ୍ଡଳୀ ସତ୍ୟବାଦୀରୁ ନିର୍ଦ୍ଦ୍ୱନ୍ଦରେ ନିର୍ବାଚିତ ହୋଇ ଓଡ଼ିଶା ବିଧାନ ସଭାର ବାଚସ୍ପତି ଆସନ ଅଳଙ୍କୃତ କଲେ ଓ ଏଥିରେ ଦୁଇଟି ପ୍ରଧାନ ପରଂପରା ସୃଷ୍ଟିକରି ବିଧାନସଭା ଇତିହାସରେ ଚିର ସ୍ମରଣୀୟ ହୋଇ ରହିଲେ । ସେ ଦୁଇଟି ହେଲା, ବିଧାନସଭାକୁ Executive Government ରୁ ପୃଥକ କରିବା ଏବଂ ବିଧାନ ସଭା ଭାଙ୍ଗିଗଲେ ମଧ୍ୟ, ନୂତନ ବିଧାନସଭା ଗଠିତ ହୋଇ ବାଚସ୍ପତି ନିର୍ବାଚିତ ହେବାଯାଏ, ପୂର୍ବର ବାଚସ୍ପତି ତାଙ୍କ ପଦରେ ଅଧିଷ୍ଠିତ ରହିବା ।

 

ଶିକ୍ଷାପ୍ରତି ତାଙ୍କର ଅନୁରକ୍ତି ଥିଲା ସର୍ବପ୍ରଥମ ଓ ସର୍ବାଧିକ ଗଭୀର । ଶିକ୍ଷାବିତ୍‌ ଭାବରେ ହିଁ ସେ ତାଙ୍କର ସମଗ୍ର ଜୀବନ ନିର୍ବାହ କରି ଯାଇଛନ୍ତି । ୧୯୩୬ ରେ ଓଡ଼ିଶାରେ ଏକ ସ୍ୱତନ୍ତ୍ର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ବିଷୟ ବିଚାର କରିବା ପାଇଁ ଓଡ଼ିଶା ସରକାର ଯେଉଁ କମିଟି ଗଠନ କଲେ, ପଣ୍ତିତ ନୀଳକଂଠ ଥିଲେ ତାର ସଭାପତି । ଏହି କମିଟିର ସୁପାରିଶ କ୍ରମେ ୧୯୪୩ ରେ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠିତ ହେଲା । ଦୀର୍ଘ ୭ ବର୍ଷ ଧରି ପଣ୍ଡିତ ନୀଳକଂଠ ଏହି ବିଶ୍ୱବିଦ୍ୟାଳୟର ଉପକୁଳାଧିପତି ବା ପ୍ରୋ-ଚାନ୍‌ସେଲର ପଦରେ ଅଧିଷ୍ଠିତ ହୋଇଥିଲେ ।

 

ପର୍ଯ୍ୟାପ୍ତ ସମାଜସେବା, ସମାଜ ସଂସ୍କାର ନିମନ୍ତେ ତାଙ୍କର ନିରାଧାର ଅନୁରାଗ, ଶିକ୍ଷାଗତ ଆଦର୍ଶ ଓ ଅଙ୍ଗନ୍ୟାସ ଏବଂ ସ୍ୱାଧୀନତା ସଂଗ୍ରାମରେ ତାଙ୍କର ବଳିଷ୍ଠ ନେତୃତ୍ୱ ବ୍ୟତୀତ ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ତାଙ୍କର ମହନୀୟ ଦାନ ଚିର ଅମଳିନ ରହିବ । ତାଙ୍କର ପ୍ରକାଶିତ କାବ୍ୟ ‘କୋଣାର୍କେ’ ଓ ‘ଖାରବେଳ’ ‘ଆର୍ଯ୍ୟଜୀବନ’ ‘ଓଡ଼ିଆ ବ୍ୟାକରଣ’ ‘ସତ୍ୟବାଦୀ’ ଓ ‘ନବଭାରତ’ ଆଦି ପତ୍ରିକାରେ ପ୍ରକାଶିତ ତାଙ୍କର ଅସଂଖ୍ୟ ପ୍ରବନ୍ଧାବଳି, ପିଲାଙ୍କ ପାଇଁ ରଚିତ ତାଙ୍କର ରାମାୟଣ, ମହାଭାରତ ଓ ଶ୍ରୀମଦ୍‌ ଭାଗବତ, ତାଙ୍କର ଅବିସ୍ମରଣୀୟ କୃତି ଗୀତାଭାଷ୍ୟ , ଓଡ଼ିଆ ସାହିତ୍ୟର ବିକାଶ ଅନୁଶୀଳନରେ ତାଙ୍କର ବିଶ୍ଲେଷଣାତ୍ମକ ଅବକ୍ଷେଣ ତଥା ଅନ୍ୟାନ୍ୟ ଅନେକ ପ୍ରକାଶନ ଓଡ଼ିଆ ସାହିତ୍ୟ, ସଂସ୍କୃତି ଓ ପାରଂପର୍ଯ୍ୟା ପ୍ରତି ତାଙ୍କର ଅତୁଳନୀୟ ଅବଦାନ । ଡକ୍ଟର ମାୟାଧର ମାନସିଂହଙ୍କ ମତରେ ରାଜନୀତିକ ନୀଳକଂଠ ମୃତ୍ୟୁ ପରେ ବିସ୍ମୃତ ହୋଇଯାଇ ପାରନ୍ତି, କିନ୍ତୁ ତାଙ୍କର ଅପ୍ରତିସ୍ପର୍ଦ୍ଧା କାବ୍ୟିକ ଅବଦାନ ‘କୋଣାର୍କେ’ ତାଙ୍କୁ ଚିରଦିନ ମୃତ୍ୟୁଞ୍ଜୟୀ କରି ରଖିବ ।

 

ପଣ୍ଡିତ ନୀଳକଂଠଙ୍କର ମହାପ୍ରୟାଣ ଘଟିଲା ୧୯୬୭ ମସିହା ନଭେମ୍ୱର ୬ ତାରିଖ ଦିନ । ଏହି ଆଦର୍ଶ ପୁରୁଷଙ୍କ ପବିତ୍ର ସ୍ମୃତିକୁ ସ୍ଥାୟୀ କରିବାର ଦାୟିତ୍ୱ ଆମ୍ଭମାନଙ୍କର ଓ ଆମ ସମସ୍ତଙ୍କର ।

 

ନୀଳକଂଠ

ପଚାରନ୍ତି ପିଲା ସମସ୍ତେ ଜୁଟି

କାଲି କିଆଁ ସାର୍‌ ହୋଇଲା ଛୁଟି ?

ନଥିଲା ପୁନିଅଁ ପରବ କିଛି,

ଫେରିଗଲୁ ଦେଖି ତାଲା ପଡ଼ିଛି ।

 

ଶଣିଲୁ ଗାଆଁରେ ପଡ଼ିଛି କଥା –

କେଡ଼େ ପଣ୍ତିତ ସେ କେଡ଼େ ତା ମଥା !

କହିଲେ ଗୁରୁଜୀ ମୁହଁ ଶୁଖାଇ –

ଆମ ପତାକାକୁ ଦିଅ ଅନାଇ ।

 

ନୁଆଁଣିଆ ହୋଇ ଉଡ଼େ ପବନେ ।

କେତେ ଗଲା-କଥା ପଡ଼େ ତା ମନେ ।

ଖବର କାଗଜୁଁ ପଢ଼ିଛି ଯାହା

ମନ ଦେଇ ଶୁଣ କହୁଛି ତାହା ।

 

ଆଉ ଯେତେ କଥା ପଡ଼ିଛି କାନେ

କହିବି ସବୁ ତା ରଖିବ ମନେ ...

କାଲି ସଅଁବାର ଉପରଓଳି

ପଡ଼ିଲା କଟକେ କାନ୍ଦବୋବାଳି ।

 

ଟେଲିଫୋନ ଦେଲା ଖବର ବାଢ଼ି

ଗଲେ ନୀଳକଂଠ ଆମକୁ ଛାଡ଼ି ।

ପାଠିକା ପାଠକ, କବି, ଲେଖକ,

ସୁଧୀ, ସାମ୍ୱାଦିକ,ଲୋକସେବକ

 

ସାନ ବଡ଼ ପିଲା, ବୁଢ଼ା ଭେଣ୍ଡିଆ

ଶେଯ ପାଖେ ଆସି ହୋଇଲେ ଠିଆ ।

ଶେଷଥର ପାଇଁ ତାହାଙ୍କୁ ଦେଖି

ମୁହଁ ଗଲା ସେଠି ସବୁରି ଶୁଖି ।

 

ରାଜଧାନୀ କାନେ ଗଲା ଖବର,

ଚମକି ପଡ଼ିଲା ଭୁବନେଶ୍ୱର ।

ସରକାରୀ ଅବା ବେସରକାରୀ ।

ସବୁରି ମୁହଁରୁ ଗଲା ବାହାରି –

 

କେଡ଼େ ବଡ଼ ଲୋକ ପଡ଼ିଲେ ଟଳି

କେ ଅଛି ପଣ୍ଡିତ ତାଙ୍କରି ଭଳି ।

ଦେଶ ଲାଗି ସାରା ଜୀବନ ଦେଲେ,

‘ପଦ୍ମ- ଭୂଷଣ’ ସେ ପଦ ପାଇଲେ ।

 

ଟଙ୍କା ପଇସାର ଲୋଭ ପାସୋରି

ମୁରୁଛି ଆସିଲେ ବଡ଼ ଚାକିରି ।

ଆମ ପୂଜ୍ୟ ନେତା ‘ଉତ୍କଳମଣି’

ଦେଶକୁ ଦେବତା ପରାୟେ ମଣି

 

ବୁଲି ବାରଦ୍ୱାର ଖରାତରାରେ

ଲାଗି ରହିଥିଲେ ଲୋକ ସେବାରେ ।

ଯୁବକ ‘କଣ୍ଠ’ଙ୍କୁ ଦେଖିଲାକ୍ଷଣି

କୋଟିନିଧି କରି ରଖିଲେ ଆଣି ।

 

ସୁଧୀ ‘କୃପାସିନ୍ଧୁ ଗୋଦାବରୀଶ’

ଗୁରୁ ‘ହରିହର’ କରି ସାହସ

ମିଳାଇ ତାହାଙ୍କ ସାଥିରେ ହାତ

ଉଛୁଳା ନଈରେ ମାରିଲେ କାତ ।

 

ପରୁଆ ନକରି ଡରୁଆ ଯୁଗେ

ଲାଗିଲେ ପିଲାଙ୍କୁ ଗଡ଼ିବେ ଆଗେ ।

ପିଲାଏ ଦେଶର ଅମୂଲ୍ୟ ଧନ,

ପିଲାଏ ଜାତିର ବଛା ବିହନ ।

 

 

ପାରିଲେ ପିଲାଙ୍କୁ ମଣିଷ କରି

ଲେଉଟି ଆସିବ ଦେଶର ଶିରୀ ।

ପାଠ ଭଳି ପାଠ ପାରିଲେ ପଢ଼ି ।

ପିଲାଏ ଦେଶକୁ ଲାଗିବେ ଗଢ଼ି ।

 

ପାଠ ପଢ଼ି ପିଲା ହେଲେ ପାଠୁଆ

ନ ରହିବେ ଏଠି ଗୋରା ହାଟୁଆ ।

ହାଟ ଛାଡ଼ିଯିବେ ନିଜ ଗାଆଁକୁ ,

ଆଉ ନ ଡରିବେ କେହି ତାହାଙ୍କୁ ।

 

ଭାଙ୍ଗିଗଲେ ତାଙ୍କ ବେପାର-କଳ

ଦେଶ ଛାଡ଼ି ଯିବେ ଧୋବଲି ଦଳ ।

ବିଦେଶୀ ଶାସନ ରହିବ ନାହିଁ,

ସ୍ୱାଧୀନ ହୋଇବ ଭାରତ ଭୂଇଁ ।

 

‘ସ୍ୱାଧିନତା ବିନା ମନୁଷ୍ୟ ପଶୁ’

ପିଲାଙ୍କ ମନେ ଏ ଚେତନା ଆସୁ –

ଏଭଳି ଯୋଜନା ଆଖିରେ ରଖି

ସାକ୍ଷି ଗୋପାଳଙ୍କୁ ରଖାଇ ସାକ୍ଷୀ

 

 

ମନଲାଖି ଗୋଟେ ବାଛିଲେ ଥାନ

‘ସତ୍ୟବାଦୀ’ଠାରେ ବଉଳବଣ ।

କୁଡ଼ିଆ କରାଇ ରଖିଲେ ଚାଟ

ଗଛମୂଳେ ପିଲେ ପଢ଼ିଲେ ପାଠ ।

 

‘ପଞ୍ଚସଖା’ଙ୍କର ଏ ବିଦ୍ୟାପୀଠ

ହେଲା ଆମ ଜାତି କଳପବଟ ।

ସାରା ଭାରତରେ ପଢ଼ିବା ପାଇଁ

ଏଭଳି ଇସ୍କୁଲ ନଥିଲା କାହିଁ ।

 

‘ବନ ବିଦ୍ୟାଳୟ’ ଉଠିଲା ଚେଇଁ,

ନାଆଁ ବିକାଶିଲା ଓଡ଼ିଶା ଭୂଇଁ ।

‘ନୀଳକଂଠ’ ହେଲେ ପ୍ରଧାନ ଗୁରୁ,

କେତେ ଛାତ୍ରଛାତ୍ରୀ ଆସିଲେ ଦୂରୁ ।

 

ଚିହ୍ନରା ପାଠୁଆ ବିଦେଶୁ ଆସି

ଶିକ୍ଷା ଦୀକ୍ଷା ଦେଖି ହୋଇଲେ ଖୁସି ।

ଦେଶ ବିଦେଶରେ ହେଲା ଖବର-

କୋଣାର୍କ ଦେଉଳ ଯେଉଁ ଜାତିର ।

 

 

ଯେ ଜାତି ଗଢ଼ିଛି ପୁରୀ ମନ୍ଦିର

ସାଗର ଯା ପାଦେ ନୂଆଁଏ ଶିର,

ସେହି ରାଜ୍ୟ ସେହି ଜାତି ଯୁବକ

ଭାରତକୁ ଦେଇ ନୂଆ ଆଲୋକ;

 

ଦେଖାନ୍ତି ପୃଥ୍ୱୀକି ନୂତନ ବାଟ,

ନୂଆ ଢଗେ ପିଲା ପଢ଼ନ୍ତି ପାଠ ।

ଖୋରାକି ପୋଷାକି ନେଇ ଶିକ୍ଷକ

ତାଲିମ କରାନ୍ତି ଦେଶ ସେବକ ।

 

ଆମ ଦେଶ ଟେକ ‘କାଗଜୁ’ ପଢ଼ି

ବିଦେଶୀଙ୍କ ମଥା ଗଲା ବିଗିଡ଼ି ।

ଭିତରେ ଭିତରେ କଲେ ସନ୍ଦେହ

ତଡ଼ିବାକୁ ତାଙ୍କୁ ରଚିଲେ ବ୍ୟୁହ

 

ଦିଲ୍ଲୀରୁ ଆସିଲା ଦିଅ ରିପୋର୍ଟ

ପିଲାଏ ପଢ଼ନ୍ତି କିଭଳି ପାଠ ।

ଏଡ଼େ ଏଡ଼େ ବଡ଼ ଉପାଧିକାରୀ

ପଇସା ଲୋଭକୁ ମନୁ ପାସୋରି ।

 

 

ବାନ୍ଧିଛନ୍ତି ସେଠି ମେଳ କାହିଁକି ?

ତଳ ଅଫିସର ଥିଲେ ଶୋଇକି ?

ଛାମୁରେ କାହିଁକି ନ କଲେ ଜଣା ?

ଜିଲାପତି ବୁଦ୍ଧି ହୋଇଲା ବଣା ।

 

ଦଳ ଦଳ ହୋଇ ଚୋରା ପୋଲିସି

ଅଜାଣତ ଆମେ ଓଡ଼ିଶା ଆସି;

ଟିକିନିଖି ସବୁ ଦେଲେ ଖବର

ପଞ୍ଚସଖାଙ୍କର ନଥିଲା ଡର ।

 

ତିଆରି ଥିଲେ ସେ ଆଗରୁ ଛାଞ୍ଚ,

ପୂରଣ କରିଲେ ମନର ପାଞ୍ଚ ।

ବଢ଼ି ମରୁଡ଼ିରେ ପିଲାଙ୍କୁ ନେଇ

ପୀଡ଼ିତ ଲୋକଙ୍କୁ ସାହାଯ୍ୟ ଦେଇ ।

 

ଗାଆଁ ଗଣ୍ଡା ଘର ଛବି ଦେଖାଇ

ଲୋକଙ୍କ ଅବସ୍ଥା ଦେଲେ ବୁଝାଇ ।

ଶିକ୍ଷା ସଙ୍ଗେ ଚାଟ ଘେନିଲେ ଦୀକ୍ଷା,

ବୁଲି ଦେଶ ଲାଗି ମାଗିଲେ ଭିକ୍ଷା ।

 

 

ଆଖିରେ ଦେଖିଲେ ଭୋକରେ ପଡ଼ି

ଚାଷୀ କାରିଗର ମରନ୍ତି ଗଡ଼ି ।

ଶାସନ ଦଳର ନାହିଁ ତ ଚିନ୍ତା ।

ସତ କଥା ତାଙ୍କୁ ଲାଗିଲା ପିତା ।

 

ଦିନ ଦି’ପହରେ ଚାଲିଛି ଲୁଟି

ଗୋରା ହାକିମଙ୍କ ହାତରେ ଚୁଟି ।

ବଢ଼ାଇବା ଲାଗି ଦେହେ ଶକତି,

ଫୁଟାଇବା ଲାଗି ମନେ ଭକତି ।

 

କେତେ ଜାତି ବହି ପିଲାଙ୍କ ପାଇଁ

ଲେଖି ଗୁରୁମାନେ ଦେଲେ ଛପାଇ ।

‘ସତ୍ୟବାଦୀ’ ନାମେ ମାସିକ ପତ୍ର,

ପଢ଼ିଖୁସି ହେଲେ ଦେଶର ଛାତ୍ର ।

 

ଆମ ଭଲ ମନ୍ଦ କରି ବିଚାର

‘ସମାଜ’ କାଗଜ ହେଲା ବାହାର ।

ଗୁରୁ ଶିଷ୍ୟଙ୍କର ଏକଇ ଲକ୍ଷ୍ୟ –

ଦେଶରୁ କିପରି ଘୁଞ୍ଚିବ ଦୁଃଖ ।

 

 

ଟାଣ କଲେ ଆମ ଜାତିର ଅଣ୍ଟା

ଦେଶୁ ହୁଗୁଳିବ ବିଦେଶୀ କଣ୍ଟା ।

ଖୁସି ବାସୀ ହୋଇ ରହିବେ ଲୋକେ

ନପଡ଼ିବେ ଆଉ ଉପାସ ଭୋକେ ।

 

ଅକାଳ ମରଣ ଦେଶରୁ ଯିବ

ଆମ ଦେଶ ଚିଯ ଦେଶେ ରହିବ ।

ବିଦେଶୀ ଶାସନ ନ ନେବ ଶୋଷି,

ଚାଷୀ କାରିଗର ହୋଇବେ ପୋଷି ।

 

ମନ ଦେଇ ଲୋକ ଖୋଜଇ ଯାହା

ଦିନେ ହେଲେ ତାକୁ ମିଳଇ ତାହା ।

‘ଭାଗବତ’ ଏ ନିରାଟ ବାଣୀ

ପହଞ୍ଚାଇଦେଲା ଦଇବ ଆଣି ।

 

ଯୁଗ ଅବତାର ମହାତ୍ମା ଗାନ୍ଧୀ

ସାରା ଭାରତକୁ ପ୍ରୀତିରେ ବାନ୍ଧି ।

ଆଣିବାକୁ ଆମ ଦେଶର ଚାବି

ବିଦେଶୀଙ୍କ ପାଖେକରିଲେ ଦାବୀ ।

 

 

ତାଙ୍କ କଥା କିଛି ନୋହିଲା ଶୁଣା

ଗର୍ଜିଲେ ବିଦେଶୀ ଉଠାଇ ଫଣା ।

ତୋପ ବନ୍ଧୁକର ଭୟ ଦେଖାଇ

ଭାବିଲେ ଲୋକଙ୍କୁ ଦେବେ ଚପାଇ ।

 

ତିଳେ ହେଲେ ଲୋକେ ନ ଗଲେ ଡରି

ମରିବା ପାଇଁକି ହେଲେ ତିଆରି ।

ଦୁନିଆ ଆଗରେ କଲେ ଶପଥ

‘ସ୍ୱାଧୀନ କରିବୁ’ ଆମେ ଭାରତ ।

 

‘ସ୍ୱାଧୀନତା –ଯୁଦ୍ଧ’ ଆରମ୍ଭ ହେଲା

ଛବିଶି ବରଷ କାଳ ଲାଗିଲା ।

ଉଦ୍‌ଯୋଗ ପରବେ ‘ଅସହଯୋଗ’,

ଦେଲେ ଗୁରୁ-ଶିଷ୍ୟ ତହିଁରେ ଯୋଗ ।

 

ଲେଖି ନୀଳକଂଠ ଦେଲେ ଡ଼ାକରା,

ଚହଳ ପଡ଼ିଲା ଓଡ଼ିଶା ସାରା –

‘‘ଜୀବନ ପଛକେ ନ ଖାଇ ଯାଉ

ଗୋଲାମ ଖାନାରେ ନ ରହ ଆଉ ।

 

 

ସ୍ୱରାଜ ଆମର ହେବ ମୁକର

ଗୋଲମିକି ଛାଡ଼ି କର ସମର ।’’

ପଢ଼ି ସରକାର ଉଠିଲେ ଚିଡ଼ି

ପିନ୍ଧାଇଲେ ତାଙ୍କ ହାତରେ କଡ଼ି ।

 

ଜେଲ ଜୋରିମାନା ଲାଠି ପାହାର

ଭୋଗି ଜୀବନେ ସେ ଥରକୁ ଥର ।

ନ ଗଲେ ପଛକୁ ଟିପେ ଲେଉଟି

ଶେଷକୁ ବିଦେଶୀ ଯୁଦ୍ଧରେ ହଟି ।

 

ଆମ ଦେଶ ଚାବି ଆମକୁ ଦେଇ

ଗଲେ ଏ ମାଟିରୁ ବିଦାୟ ନେଇ ।

ଆମ ସରକାର ଗଢ଼ିଲେ ଆମେ

ଦରକାର ବେଳେ ଲଗାଇ କାମେ ।

 

x      x      x

 

ନୀଳକଂଠଙ୍କର ଯିବା ଖବର

ଶୁଣି ଆମ ରାଜ୍ୟ ମନ୍ତ୍ରୀ ପ୍ରବର ।

ଶେଷ ଦରଶନ ପାଇବା ପାଇଁ

କାମଦାମ ଛାଡ଼ି ଆସିଲେ ଧାଇଁ ।

 

ଆଉ ଯେତେ ଥିଲେ ସଚିବକୁଳ

ଦରଶନ ଲାଗି ହୋଇଲେ ଠୁଳ ।

ରାଷ୍ଟ୍ରୀୟ ସମ୍ମାନ ଦେବା ପାଇଁକି

ସଙ୍ଗେ ସଙ୍ଗେ ଦେଲେ ଆଦେଶ ଲେଖି ।

 

‘ସୁଧୀ ବାଚସ୍ପତି କବି, ସୈନିକ,

ସ୍ୱାଧୀନତା-ଯୁଦ୍ଧ ସେନାନାୟକ ।

ପଦ୍ମଭୂଷଣ ଯେ ନୀଳକଂଠଙ୍କ

ଲିଭି ଯାଇଅଛି ଜୀବନ ଦୀପ ।

 

ତାଙ୍କ ଶେଷକୃତ୍ୟ କାମ ଦେଶର,

ଯାହା ବିଧି ତାହା କର ସତ୍ୱର ।

ଜାତି ସରକାର ଦେଲେ ଆହ୍ୱାନ

ଘଡ଼ିକ ଭିତରେ ଆସିଲା ଯାନ ।

 

ନାନା ଜାତି ଫୁଲ –ମାଳ ପିନ୍ଧାଇ

ଶବ ଶିବିକାରେ ନେଲେ ଉଠାଇ ।

ଶେଷ ଥର ପାଇଁ କରି ଦର୍ଶନ

ଲୁହ ଗଡ଼ାଇଲେ ବନ୍ଧୁ ସ୍ୱଜନ ।

 

ଜାତି ସରକାର ଆଦେଶ ପାଇ

ଆସିଥିଲେ ଆଗୁଁ ସୈନିକ ଭାଇ ।

ବନ୍ଧୁକ ମୁହଁକୁ ତଳକୁ ଦେଇ

ଚାଲିଲେ ନୀରବେ ପାଦ ମିଳେଇ ।

 

ବିଷାଦ ସ୍ୱରରେ ବାଜିଲା ବାଜା,

ଏଭଳି ସମ୍ମାନ ନପାଏ ରାଜା ।

ଗଡ଼ି ଗଡ଼ି ଚାଲେ ମଟର ଚକ

କହି କହି ଯାଏ ଦେଖରେ ଦେଖ ।

 

ବିଚିତ୍ର ଅଟେ ବିଧି ବିଧାନ

ଅଘଟନ କଥା କରେ ଘଟନ ।

ହାତକଡ଼ି ଦେଇ ପୁଲିସି ଯାରେ

ନେଇଥିଲେ ଦିନେ ଏଇ ବାଗରେ ।

 

ପଳାଇବ ଦାଗୀ ଆଶଙ୍କା କରି

ଚାରିପଟେ ତାର ହୋଇ ପ୍ରହରୀ ।

ଗର୍ବେ ଚାଲୁଥିଲେ ବନ୍ଧୁକ ଧାରୀ,

ଶଙ୍କି ଯାଉଥିଲେ ଦେଖଣାହାରି ।

 

 

ସେହିମାନେ ଆଜି ତାହାଙ୍କୁ ପୂଜି

ବନ୍ଦାଇ ନିଅନ୍ତି ଦେବତା ମଣି ।

କଟକ ନଗର ସଡ଼କେ ଘୂରି

ଚାରି ଆଡ଼ ଶ୍ରଦ୍ଧା- ଅଞ୍ଜଳି ଧରି ।

 

ଚାଲିଗଲା ଯାନ ଭୁବନେଶ୍ୱର

ଶହ ଶହ ଲୋକ ହୋଇ ଆତୁର ।

ଦରଶନ କଲେ ଜାତି ନିଧିକି

ଜାତିପାଇଁ ପ୍ରାଣ ଥିଲେ ଯେ ବିକି ।

 

‘ବିଧାନ ସଭା’ର ତୁଙ୍ଗ ମନ୍ଦିର

ଭକତିରେ ଦେଲା ନୂଆଁଇ ଶିର ।

ବକୁଳ ବନକୁ ଚାଲିଲା ଯାନ,

ଯେଉଁ ବନ ଥିଲା ସାଧନା-ଥାନ ।

 

ବୋହୂ, ଝିଅ, ବୁଢ଼ୀ ଭେଣ୍ଡିଆ ବୁଢ଼ା

ହୋଇଥିଲେ ଆସି ଆଗରୁ ଛିଡ଼ା ।

ମୁଣ୍ଡମାଳ ଦିଶୁ –ଥିଲା ତ ଖାଲି,

ଥାଳି ମାରିଦେଲେ ଯାଆନ୍ତା ଚାଲି ।

 

 

‘ରାମ ନାମ ସତ୍ୟ’ ଦୂରରୁ ଶୁଣି

ସହସ୍ର ଆଖିରୁ ବୋହିଲା ପାଣି ।

ଗାଆଁ ଘର ବନ ଗଲା ଉଛୁଳି,

ଖେଳିଲା ସବୁରି ଦେହେ ବିଜୁଳି ।

 

ସଜା ହୋଇଥିଲା ଆଗରୁ ବେଦୀ

ଘଟିଲା ତହିଁ ଯା ମରମ ଭେଦୀ ।

ପଢ଼ି ଶୁଣି ମୁହିଁ ବୁଝିଛି ଯାହା

ଏପାରି ଖବର କହିଲି ତାହା ।

 

‘ସେପାରି ସମ୍ୱାଦ’ ଶୁଣ ଏଥର –

ନୀଳକଂଠଙ୍କର ଯିବା ଖବର ।

ପଡ଼ିଥିଲା ତହିଁ ଆଗରୁ ଜଣା

ହୋଇଥିଲା ବଡ଼ ଚାନ୍ଦୁଆ ଟଣା ।

 

ବସିବା ପାଇଁକି ବନ୍ଧୁ ସ୍ୱଜନ

ସଜା ହୋଇଥିଲା ଦିବ୍ୟ ଆସନ ।

ଫାଟକରେ ଲେଖା ଥିଲା ‘ସ୍ୱାଗତ’,

ଉଡ଼ୁଥିଲା ଜାତି –ପତାକା ଶତ ।

 

 

ଦଳ ଦଳ ଦଳ ହୋଇ ସ୍ୱେଚ୍ଛାସେବକ

ଚାହିଁ ବସିଥିଲେ ବୀଣା ବାଦକ ।

ଏପାରି ସଜାକୁ ଶୋଭାରେ ବଳି

ଉଠୁଥିଲା ଚନ୍ଦ୍ର ଉଦିଆ ଜଳି ।

 

ନଂଦନ କାନନୁ କୁସୁମ ତୋଳି

ରଖିଥିଲେ ବାସ ଚନ୍ଦନ ଗୋଳି,

ପହଞ୍ଚିଲା ଯାଇ କଣ୍ଠଙ୍କ ରଥ

ଆସି ଗୋପବନ୍ଧୁ ଧରିଲେ ହାତ ।

 

ଗୋପ ଚଉଧୁରୀ ଜନତା –ମିତ

ଉଭା ଲିଙ୍ଗରାଜ ତାଙ୍କ ସହିତ ।

ମଙ୍ଗରାଜ ଦେଲେ ହାର ପିନ୍ଧାଇ

କୁନ୍ତଳା , ଅପର୍ଣ୍ଣା ନେଲେ ବନ୍ଦାଇ ।

 

କବି ବାଞ୍ଛାନିଧି ରଚିତ ଗୀତ

ଗାଇ ନିରଂଜନ ହରିଲେ ଚିତ୍ତ ।

କୃପାସିନ୍ଧୁ ସାଥେ ଗୋଦାବରୀଶ

ପୁଛନ୍ତି ସଭିଏଁ ହୋଇ ହରଷ ।

 

 

ଚାଲିଛି କିପରି ଶାସନ କଳ

କମିଛି ନା ବଢ଼ି –ଯାଉଛି ଦଳ ?

ପଢ଼ନ୍ତି ପିଲାଏ କି ଭଳି ପାଠ ?

ବଦଳି ଯିବଣି ପଢ଼ାର ବାଟ ।

 

ନିଶା କାରବାର ଯିବଣି କମି

ପଡ଼ିଆ ନଥିବ ବିଶ୍ୱାଏ ଜମି ।

ଛୁଆଁ ଛୁତ ଭେଦ ନଥିବ ଆଉ

ହଟିତ ଯିବଣି ରୋଗର ଦାଉ ।

 

ବହୁ ଶସ୍ୟ ପାଉ ଥିବେ କୃଷକ,

କାରିଗରଙ୍କର ନଥିବ ଦୁଃଖ ।

ବିନୋବାଙ୍କ କାମ ନଥିବ ବାକି

ଆଉ ଦେଶ ଲୋକେ ନେବେଣି ଡାକି ।

 

ନଥିବେ କେହିତ ଶୋଷଣ କାରୀ

ବଢ଼ୁଥିବେ ଦେଶେ ପୋଷଣହାରି ।

ପାଳୁଥିବେ ଲୋକେ ଗାନ୍ଧୀଙ୍କ ନୀତି,

ଯେ ନୀତିରେ ନେଲେ ଦେଶକୁ ଜିତି ।

 

 

ତହୁ ନୀଳକଂଠ ଅଳପ ହସି

ତେଜି ଦୀର୍ଘଶ୍ୱାସ କହିଲେ ବସି –

ପଚାରିଲ ଯାହା କହିବି ପରେ,

ଟିପି ରଖିଛି ମୁଁ ପ୍ରାଣ ଭିତରେ ।

 

ଆଣିଛି ଗୋଟିଏ ବଡ଼ ବାରତା

ହରି ଭାଇନାଙ୍କ ମନର କଥା –

ନ କରିବ ତାଙ୍କୁ କେବେ ଅଲଗା

ତମ ପାଖେ ଖଣ୍ଡେ ରଖିବ ଯାଗା ।